ରାଜ୍ୟ

ବଡ଼ ଖବର | Top 5 News Headlines

Headlines 1- ମହଙ୍ଗା ପଡ଼ିଲା ଉପବାଚସ୍ପତିଙ୍କ ଦସ୍ତଖତ ନକଲ କରି ବଦଳି ଆଦେଶ ହାତେଇବା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍। ଅନ୍ୟ ଜଣେ ବାଂଶପାଳ ବ୍ଲକର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ । ଏହି ଦୁଇ ଯନ୍ତ୍ରୀ ଉପବାଚସ୍ପତିଙ୍କ ନାଁରେ ନକଲି ଲେଟର ପ୍ୟାଡରେ ଦସ୍ତଖତରେ ସୁପାରିସ କରି ସୁନ୍ଦରଗଡ଼ ଜିଲ୍ଲା ବଦଳି କରାଇବାକୁ ସକ୍ଷମ ହୋଇଥିଲେ। ଉପବାଚସ୍ପତିଙ୍କ ଜାଲ ଦସ୍ତଖତ ସହ ଷ୍ଟାମ୍ପ ଓ ନକଲି ଲେଟର ପ୍ୟାଡ ତିଆରି କରିଥିଲେ ।

Headlines 2- କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫ ଏବଂ ପୋଲିସ ନିର୍ଯାତନା ଘଟଣା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି । ଚାମେଲି ଓଝାଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଥିବା ଓ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ନେଇ ସାମାଜିକ ସଂଗଠନ ‘ଭାରତୀୟ ବିକାଶ’ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆବେଦନରେ ଘଟଣାର ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଗଠନ ଦାବି କରାଯାଇଛି।

Headlines 3- କେନ୍ଦ୍ର ସରକାରଙ୍କ ‘ଏକ ରାଜ୍ୟ – ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ’ ଯୋଜନା ଅଧୀନରେ ଓଡ଼ିଶାର ଦୁଇଟି ସ୍ଥାନ ‘ପୁରୀ-କୋଣାର୍କ’ ଓ ’ହୀରାକୁଦ-ଦେବ୍ରୀଗଡ଼’ର ବିକାଶ କରାଯିବ। ଆଜି ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ” ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀପରିଡ଼ା ଅଧ୍ୟକ୍ଷତା କରିଥିଲେ।

Headlines 4- ସାରା ରାଜ୍ୟକୁ ଜାରି କରାଯାଇଛି କାଳବୈଶାଖୀ ୱାର୍ଣ୍ଣିଂ। ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ବାକି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆସନ୍ତାକାଲି ହିଟୱେଭ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଉଷ୍ଣ ଓ ଆର୍ଦ୍ରତା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।୨୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା ରହିଛି । ଆଗାମୀ ଦୁଇ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ଖସିପାରେ ।

Headlines 5- ଜୁନ୍‌ ୨୧ ତାରିଖରେ ନିଟ୍‌-ୟୁଜି ପୁନଃ ପରୀକ୍ଷା ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ଟେଲିଗ୍ରାମ୍‌କୁ ସାରା ଦେଶରେ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି। ପୁନଃ ପରୀକ୍ଷାରେ ସ୍ବଚ୍ଛତା ଓ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ସରକାର ଏହି ପଦକ୍ଷେପ ନେଇଥିବା ବେଳେ ଟେଲିଗ୍ରାମ୍‌ ଏହାକୁ ଆଜି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। କୋର୍ଟ ମଧ୍ୟ ଏହି ମାମଲାକୁ ଜରୁରୀ ଭିତ୍ତି‌‌‌ରେ ଶୁଣାଣି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button