ରାଜ୍ୟ

୧୫ ହଜାର ହାତଗୁଞ୍ଜା ନେଇ ଧରାପଡ଼ିଲେ ଜିଇଡି ଜେଇ

ଭୁବନେଶ୍ବର: ଗାଁରେ ରାସ୍ତାକଡ଼ ବିଜୁଳିବତୀ ସ୍ଥାପନ ପାଇଁ ଆକଳନ ପ୍ରସ୍ତୁତ କରିବା ବାବଦକୁ ଜଣେ କାର୍ଯ୍ୟନିର୍ବାହୀଙ୍କ ଠାରୁ ୧୫ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ବେଳେ ଜଗତସିଂହପୁରଜିଲ୍ଲା ପୂର୍ତ୍ତ ବିଭାଗ ସାଧାରଣ ବିଦ୍ୟୁତ୍‌ ବିଭାଗ (ଜିଇଡି)ର କନିଷ୍ଠ ଯନ୍ତ୍ରୀ ସୋମା ଦାସ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ।

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁସାରେ, ମଇ ୮ ତାରିଖରେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ/ ଅଭିଯୋଗକାରୀ ଜଣକ ନିଜ ସପକ୍ଷରେ କାର୍ଯ୍ୟାଦେଶ (ୱାର୍କ ଅର୍ଡର) ପାଇବା ପାଇଁ ଆକଳନ ପ୍ରସ୍ତୁତ କରିବାକୁ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଚିଠି ଜେଇ ଦାସଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଶ୍ରୀମତୀ ଦାସ କୌଣସି କାରଣ ନଥାଇ ଆକଳନ ପ୍ରସ୍ତୁତିକୁ ପକାଇ ରଖିଥିଲେ। ଏହା ବଦଳରେ ଅଭିଯୁକ୍ତ ଜେଇ ଶ୍ରୀମତୀ ଦାସ ଉକ୍ତ କାର୍ଯ୍ୟର ସମୁଦାୟ ଆକଳନ ମୂଲ୍ୟ ୧୫ ଲକ୍ଷ ଟଙ୍କାର ୧% ହିସାବରେ କାର୍ଯ୍ୟନିର୍ବାହୀଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।  ଏନେଇ ଅଭିଯୋଗକାରୀ ଭିଜିଲାନ୍‌ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ଏନେଇ ଭିଜିଲାନ୍‌ସ ବିଭାଗ କଟକ ଭିଜିଲାନ୍ସ ଥାନାରେ ୨୪/୨୦୨୬ରେ ଏକ ମାମଲା ରୁଜୁ କରିଥିଲା। ଆଜି (ଶୁକ୍ରବାର) ଅଭିଯୋଗକାରୀଙ୍କ ଠାରୁ ୧୫ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ରଙ୍ଗେହାତ ଧରିଥିଲା।  ଧରାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାରେ ଶ୍ରୀମତୀ ଦାସଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକ ସମୟରେ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button