
୭୮ ବର୍ଷ ବୟସରେ ପୁଣି ବାହାହେଲେ ବରିଷ୍ଠ ଅଭିନେତା ଅଶୋକ, ସେୟାର କଲେ ପୋଷ୍ଟ
ଅଶୋକ ସରାଫ ହିନ୍ଦୀ ଓ ମରାଠୀ ସିନେମାର ସବୁଠୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ସହିତ ତାଙ୍କ ପର୍ସନାଲ ଲାଇଫକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରନ୍ତି । ନିକଟରେ ଅଶୋକ ସରାଫ ଓ ତାଙ୍କ ପତ୍ନୀ ନିବେଦିତା ସରାଫ ୩୭ତମ ବିବାହ ବାର୍ଷିକୀ ପାଳନ କରିଥିବାର ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ।
ଅଶୋକ ଓ ନିବେଦିତା ମରାଠୀ ସିନେମାର ଜଣେ ଲୋକପ୍ରିୟ ଦମ୍ପତି । ଦୁହେଁ ୧୯୯୦ ମସିହାରେ ଗୋଆର ପ୍ରସିଦ୍ଧ ମଙ୍ଗେଶୀ ମନ୍ଦିରରେ ବିବାହ କରିଥିଲେ। ଦୁହିଁଙ୍କ ସମ୍ପର୍କ ମଧ୍ୟରେ ୧୮ ବର୍ଷର ତଫାତ ଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କେବେ ବାଧା ହୋଇନାହିଁ । ବିବାହର ୩୭ ବର୍ଷ ପୂରା ହେବା ଅବସରରେ ଦୁହେଁ ପୁଣିଥରେ ପରସ୍ପରଙ୍କୁ ବରଣମାଳା ପିନ୍ଧାଇ ସାରା ଜୀବନ ସାଥୀ ହୋଇ ରହିବାର ପ୍ରତିଜ୍ଞା କରିଛନ୍ତି । ଏଥିସହ ଏହି ଫଟୋରେ ନିବେଦିତା ନୀଳ ରଙ୍ଗର ଶାଢ଼ୀରେ ନଜର ଆସିଥିବାବେଳେ ଅନ୍ୟପଟେ କୁର୍ତ୍ତା ଓ ପାଇଯାମା ଅଶୋକ ପିନ୍ଧିଥିବାର ଦେଖିବାକୁ ମିଳିଛି ।
ସେପଟେ ବିବାହ ବାର୍ଷିକୀର ଫଟୋ ସେୟାର କରି ଅଶୋକ ଲେଖିଛନ୍ତି ଯେ, “୩୭ ବର୍ଷ ପରେ ମଧ୍ୟ ଯେତେବେଳେ ମୋର ନଜର ତୁମ ଉପରେ ପଡ଼େ, ମୋ ହୃଦୟ ଆଗପରି ଖୁସିରେ ଭରିଯାଏ । ତୁମେ ମୋର ସବୁଠୁ ଭଲ ବନ୍ଧୁ, ମୋର ଶକ୍ତି ଓ ମୋର ସାରା ଜୀବନର ଭଲପାଇବା ହୋଇ ରହିଥିବାରୁ ଧନ୍ୟବାଦ । ଆମ ବିବାହ ବାର୍ଷିକୀର ଅନେକ ଶୁଭେଚ୍ଛା ।”
ଅଶୋକ ଓ ନିବେଦିତାଙ୍କର ଜଣେ ପୁଅ ଅଛନ୍ତି । ଯାହାଙ୍କ ନାମ ଅନିକେତ ସରାଫ। ସେ ଅଭିନୟ କ୍ଷେତ୍ରକୁ ନଯାଇ ଜଣେ ଶେଫ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଅଶୋକ ସରାଫ ୧୯୯୦ର ଲୋକପ୍ରିୟ ହିନ୍ଦୀ ସିଟକମ୍ ‘ହମ୍ ପାଞ୍ଚ’ରେ ଆନନ୍ଦ ମାଥୁରଙ୍କ ଭୂମିକା କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚରିତ୍ର ତାଙ୍କୁ ସାରା ଦେଶରେ ଘରେ ଘରେ ପରିଚିତ କରାଇଥିଲା ଏବଂ ଲୋକେ ତାଙ୍କ ହାସ୍ୟ ଅଭିନୟର ବଡ଼ ପ୍ରଶଂସକ ହୋଇଥିଲେ । ଚଳିତ ବର୍ଷ ଅଶୋକ ସରାଫ ନିଜ ପତ୍ନୀଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ଦୁହେଁ ଗର୍ବର ସହ ମହାରାଷ୍ଟ୍ରର ପାରମ୍ପରିକ ସଂସ୍କୃତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ।